ଅନ୍ତର୍ଜାତୀୟଜାତୀୟ

୨୦୦ ଡଲାର ଛୁଇଁବ ଅଶୋଧିତ ତୈଳଦର, ହୁହୁ ହୋଇ ବଢିବ ପେଟ୍ରୋଲ-ଡିଜେଲ ଦାମ୍ !

ନୂଆଦିଲ୍ଲୀ() ରୁଷ ତୈଳ ଉପରେ କଟକଣା ଏବଂ ଇରାନ ତେଲ ବଜାରକୁ ଆସିବାରେ ବିଳମ୍ବ ସମ୍ଭାବନା ମଧ୍ୟରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିଲା । କାରବାରର ପ୍ରଥମ କେଇ ମିନିଟ୍‌ରେ ବ୍ରେଣ୍ଟ କ୍ରୁଡ୍‌ ୧୩୯.୧୩ ଡଲାର ଛୁଇଁଥିବାବେଳେ ୟୁଏସ୍‌ ୱେଷ୍ଟ ଟେକ୍ସାସ ଇଣ୍ଟର୍‌ମିଡିଏଟ୍‌(ଡବ୍ଲ୍ୟୁଟିଆଇ) ୧୩୦.୫୦ ଡଲାର ଛୁଇଁଛି । ଉଭୟ ୨୦୦୮ ଜୁଲାଇରୁ ସର୍ବୋଚ୍ଚ ସ୍ତର ଛୁଇଁଥିଲା ।

କାରବାର ମଧ୍ୟଭାଗରେ ଦର କମିଥିଲା । ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍‌ ୧୨୪.୭୧ ଡଲାର ଏବଂ ଡବ୍ଲ୍ୟୁଟିଆଇ ୧୨୨.୩୫ ଡଲାରକୁ ହ୍ରାସ ପାଇଥିଲା । କାରବାର ଶେଷରେ ଉଭୟ ଯଥାକ୍ରମେ ୧୧୮.୧୧ ଡଲାର ଏବଂ ୧୧୫.୬୮ ଡଲାରରେ ବନ୍ଦ ହୋଇଛି ।ତେବେ ବ୍ୟାଙ୍କ ଅଫ୍‌ ଆମେରିକାର ବିଶ୍ଳେଷକମାନଙ୍କ କହିବାନୁସାରେ ରୁଷର ତୈଳ ଉପରେ କଟକଣା ହେଲେ ଦୈନିକ ୫୦ ଲକ୍ଷ ବ୍ୟାରେଲ କିମ୍ବା ଏହାଠାରୁ ଅଧିକ ପରିମାଣର ତୈଳ ଅଭାବ ଦେଖାଦେବ । ଏହାର ଅର୍ଥ ଅଶୋଧିତ ତୈଳ ଦର ୨୦୦ ଡଲାରରେ ପହଞ୍ଚିପାରେ ।

ଜେପି ମୋର୍ଗାନ ପକ୍ଷରୁ ଅନୁମାନ କରାଯାଇଛି ଯେ, ଚଳିତବର୍ଷ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ୧୮୫ ଡଲାରକୁ ବଢ଼ିପାରେ । ମିତ୍‌ସୁବିଶି ୟୁଏଫ୍‌ଜେ ଫାଇନାନ୍‌ସିଆଲ ଗ୍ରୁପ୍‌ର ବିଶେଷଜ୍ଞମାନଙ୍କ କହିବାନୁଯାୟୀ ତୈଳ ଦର ୧୮୦ ଡଲାର ଛୁଇଁପାରେ ଏବଂ ଏହା ଦ୍ୱାରା ବିଶ୍ୱରେ ଏକ ବଡ଼ ଧରଣର ମାନ୍ଦାବସ୍ଥା ଦେଖାଦେଇପାରେ ।

ସିଙ୍ଗାପୁରର ଓସିବିସି ବ୍ୟାଙ୍କର ଅର୍ଥନୀତିଜ୍ଞ ହାଓଇ ଲି’ କୁହନ୍ତି ଯୋଗାଣ ବାଧାପ୍ରାପ୍ତ ହେଲେ ତୈଳ ଦର ରେକର୍ଡ ସ୍ତରକୁ ଟପିଯିବ । ରୁଷ ଉପରେ ପୂର୍ଣ୍ଣାଙ୍ଗ କଟକଣା ବ୍ରେଣ୍ଟ କ୍ରୁଡ୍‌କୁ ୨୦୦ ଡଲାର ଉପରକୁ ନେଇଯିବା ଥୟ ।

ପ୍ରକାଶଯୋଗ୍ୟ, ବିଶ୍ୱର ଅଗ୍ରଣୀ ତୈଳ ରପ୍ତାନିକାରୀ ହେଉଛି ରୁଷ । ଏହା ଦିନକୁ ୭୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରପ୍ତାନି କରିଥାଏ । ଏହା ବିଶ୍ୱର ମୋଟ ଯୋଗାଣର ୭% । ରୁଷର ବନ୍ଦରଗୁଡ଼ିକରୁ ମଧ୍ୟ କଜାଖସ୍ଥାନର କିଛି ପରିମାଣର ତୈଳ ରପ୍ତାନି ବ୍ୟାହତ ହୋଇଛି । ଏସବୁ ଆଗକୁ ଏକ ବଡ଼ ତୈଳ ସଂକଟକୁ ଡାକିଆଣୁଛି ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ତତ୍କାଳ ରୁଷର ବିକଳ୍ପ ଆଣିବା ସମ୍ଭବ ନୁହେଁ । ଜାପାନ ପକ୍ଷରୁ ଏହା କୁହାଯାଇଛି । ରୁଷ ହେଉଛି ଜାପାନର ପଞ୍ଚମ ବୃହତ୍‌ ଅଶୋଧିତ ତୈଳ ଏବଂ ଏଲ୍‌ଏନ୍‌ଜି ଯୋଗାଣକାରୀ । ଭାରତର ମଧ୍ୟ ଏହା ଏକ ପ୍ରମୁଖ ଯୋଗାଣକାରୀ । ତୈଳ ଯୋଗାଣ ନେଇ ଭାରତ-ରୁଷ ମଧ୍ୟରେ କେତେକ ରାଜିନାମା ସ୍ୱାକ୍ଷର ହୋଇଛି ।

ସୂଚନାଯୋଗ୍ୟ, ୨୦୨୨ ଆରମ୍ଭରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୬୦%ରୁ ଅଧିକ ବୃଦ୍ଧି ପାଇଛି । ଏହା ସହିତ ଅନେକ ସାମଗ୍ରୀ ମହଙ୍ଗା ହୋଇଛି । ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହା ସମସ୍ୟା ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com