ବାଣିଜ୍ୟ

ସାରା ଦେଶରେ ଏକକ ଡ୍ରଗ୍ସ ପ୍ରଶାସନ ବ୍ୟବସ୍ଥା ଲାଗୁ

ନୂଆଦିଲ୍ଲୀ, ୦୪/୧୧/୨୦୨୨ –  ଦେଶରେ ଔଷଧ ପ୍ରସ୍ତୁତି ଠାରୁ ଆରମ୍ଭ କରି ମାର୍କେଟିଂ ଯାଏ ଯାଏ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଯାଇଛି । ଏହାଦ୍ୱାରା ସାରା ଦେଶରେ ଏକକ ଡ୍ରଗ୍ସ ପ୍ରଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଦେଶରେ ଦିନକୁ ଦିନ ବଢି ଚାଲିଥିବା ନକଲି ଔଷଧ କାରବାର ରୋକିବା ସମ୍ଭବ ହେବ । କେବଳ ସେତିକି ନୁହେଁ ଏଣିକି ଔଷଧର ଗୁଣବତ୍ତା ଅକ୍ଷୂର୍ଣ୍ଣ ରଖିବାପାଇଁ କେନ୍ଦ୍ର ସରକାର କେତେକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଏଣିକି ନିର୍ମାଣ ହେଉଥିବା ଔଷଧର ଡାଟାବେସ ରଖାଯିବ । ଏକ ସ୍ୱତନ୍ତ୍ର ୭ଜଣ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଏହାର ତଦାରଖ କରିବେ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୩ ମାସ ମଧ୍ୟରେ ବିଭିନ୍ନ ସୁପାରିସ ସହ ଡାଟାବେସ ଦାଖଲ କରାଯିବ । ଔଷଧର ଡୋଜ, ଏହାର କ୍ଷମତା, ପ୍ରସ୍ତୁତକର୍ତ୍ତା, ଡିଲର, ଆମଦାନିକାରୀ ସମ୍ପର୍କରେ ସବିଶେଷ ତଥ୍ୟ ଏହି ପ୍ୟାନେଲ ନିକଟରେ ରହିବ । ଭାରତର ଔଷଧ ମହାନିୟନ୍ତ୍ରକ ଭି.ଜି. ସୋମାନିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପ୍ୟାନେଲ କାର୍ଯ୍ୟ କରିବ । ଏହି ନିଷ୍ପତ୍ତି ଦ୍ବାରା ଖାଉଟିମାନେ ନିଜ ଅଧିକାର ପାଇବେ ଏବଂ ମନିଟରିଂ ବ୍ୟବସ୍ଥା ଅଧିକ ସଶକ୍ତ ହେବ । ବିକ୍ରି ହେଉଥିବା ସମସ୍ତ ଔଷଧର ତଥ୍ୟ ଏହି ଡାଟାବେସରେ ଉପଲବ୍ଧ ରହିବା ଫଳରେ ଖାଉଟିମାନେ ପ୍ରତ୍ୟେକ ଔଷଧ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିପାରିବେ ।

ଏହି କମିଟିର ସଦସ୍ୟ ଭାବେ – ଖାଦ୍ୟ ଓ ଔଷଧ ନିୟନ୍ତ୍ରଣ ପ୍ରଶାସନ କମିଶନର ଡାକ୍ତର ଏଚ.ଜି. କୋଶିଆ, ଏମସର ଡାକ୍ତର ପୂଜା ଗୁପ୍ତା, ଆଇସିଏମଆରର ବୈଜ୍ଞାନିକ ଡାକ୍ତର ଜେରିଆନ ଜୋସ ପ୍ରମୁଖ କାର୍ଯ୍ୟ କରିବେ । ଭାରତର ଯୁଗ୍ମ ଡ୍ରଗ୍ସ କଣ୍ଟ୍ରୋଲର ଏ.କେ. ପ୍ରଧାନ ଏହି ପ୍ୟାନେଲର ଆବାହକ ରହିବେ । ଦେଶରେ ବଢି ଚାଲିଥିବା ନକଲି ଔଷଧ କାରବାର ଏହାଦ୍ୱାର ନିୟନ୍ତ୍ରିତ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com