ଅନ୍ୟାନ୍ୟ

ଚିର ନିଦ୍ରାରେ ବର୍ଷିୟାନ ଓଡ଼ିଆ ଅଭିନେତ୍ରୀ ଝରଣା ଦାସ

ଭୁବନେଶ୍ୱର, ୦୨/୧୨/୨୦୨୨-    ଆଉ ଶୁଭିବନି ଜୀବନ ଜମୁନାରେ ଜୁଆର ଉଠରେ ଗୀତର ମୂର୍ଚ୍ଛନା . . .  ଓଡିଆ ଚଳଚିତ୍ରର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଝରଣା ଦାସ ନୀରବି ଯାଇଛନ୍ତି । ସବୁଦିନ ପାଇଁ ଛାଡି ଚାଲିଛନ୍ତି ସୁନା ଭାଉଜ । ଓଡିଆ ଚଳଚିତ୍ରରେ ଆଧୁନିକ ସଙ୍ଗୀତର ପରୀକ୍ଷା ନିରୀକ୍ଷା ନେଇ ଷାଠିଏ ଦଶକରେ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ଏବଂ ଯାହାକୁ ଆଖି ଆଗରେ ରଖି ଏହାର ଚିତ୍ର ଗ୍ରହଣ ହୋଇଥିଲା ସେ ହେଉଛନ୍ତି ଓଲିଉଡ ଜଗତର ପ୍ରଥମ ଚୁଲବୁଲି ନାୟିକା ଝରଣା ।

ଗୁରୁବାର ବିଳମ୍ବିତ ରାତିରେ ୮୨ ବର୍ଷ ବୟସରେ ସେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଆରପାରିକୁ ଚାଲି ଯାଇଛନ୍ତି । କଟକ ଚଣ୍ଡୀ ରୋଡ ସ୍ଥିତ ବାସ ଭବନରେ ଆଖି ବୁଜିଛନ୍ତି ଏହି ବର୍ଷୀୟାନ ଅଭିନେତ୍ରୀ । ଏକ ବହୁମୁଖୀ ପ୍ରତିଭାର ଅଧିକାରୀ ଝରଣା ଦୀର୍ଘ ୬୦ ବର୍ଷ ଧରି ଓଡିଆ ଚଳଚିତ୍ର , ନାଟକ, ମଞ୍ଚ ଅଭିନୟ ସହ ଓତପ୍ରୋତ ଭାବେ ଜଡିତ ଥିଲେ । କେବଳ ଜଣେ ଅଭିନେତ୍ରୀ ନୁହେଁ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବରେ ମଧ୍ୟ ତାଙ୍କର ସୁଖ୍ୟାତି ଥିଲା । କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ ଝରଣା । ସେ ସମୟରେ ରକ୍ଷଣଶୀଳ ସମାଜରେ ବଡ ଘରର ଝିଅ ଅଭିନୟ କରିବାରେ ପ୍ରତିବନ୍ଧକ ଥିଲା । ହେଲେ କଳାକାର ହେବାର ପ୍ରତିଭା ପିଲାଦିନୁ ଝରଣାଙ୍କ ନିକଟରେ ଦେଖିବାକୁ ମିଳିଥିଲା ।

ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା । ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ) ଓ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । ପରେ ୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ ଚଳଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିପାରିଥିଲେ। ତାଙ୍କର ବହୁ ଚର୍ଚ୍ଚିତ ଅଭିନୟ ମଧ୍ୟରେ ପୂଜାଫୁଲ, ମଲାଜହ୍ନ, ଅଦିନ ମେଘ, ସମୟ ବଡ ବଳବାନ, ଅମଡା ବାଟ, ଶ୍ରୀଜଗନ୍ନାଥ, ନାରୀ ଇତ୍ୟାଦି ତାଙ୍କୁ ଚିର ଅମର କରି ରଖିବ ।

ଝରଣାଙ୍କ ସ୍ଵର ସଂଳାପ ଓ ସ୍ୱତନ୍ତ୍ର କହିବା ଶୈଳୀ ଏବଂ ଚମତ୍କାର ଅଭିନୟ ତାଙ୍କୁ ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା। ସେ ଚଳଚ୍ଚିତ୍ର ବ୍ୟତୀତ, ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ । ଆ’ ଜହ୍ନରେ ଲେଖିବା ନାଁ, ଭାଗ୍ୟ ଚକ୍ର, ସୁନା ଭାଉଜ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ଲାଲ ପାନ ବିବି, କସ୍ତୁରୀ, ହୀରାନୀଳା, ନିନାଦ, ଆଶାର ଆକାଶ, ମହାସତୀ ସାବିତ୍ରୀ, ଜ୍ୱାଇଁ ପୁଅ, ହିସାବ ନିକାଶ, ଟିକେ ହସ ଟିକେ ଲୁହ, ମାର୍ଗ, କା, ଅଭିନେତ୍ରୀ, ନବଜନ୍ମ ଆଦିରେ ତାଙ୍କର ଜୀବନ୍ତ ଅଭିନୟକୁ ଆଜି ବି ଲୋକେ ମନେ ରଖିଛନ୍ତି । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଶୋକ ପ୍ରକାଶ ସହ ପରିବାରକୁ ଗଭୀର ସମବେଦନା ଜଣାଇ ଝରଣାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com