ବାଣିଜ୍ୟ

ଜୁନ୍‌‌ ସୁଦ୍ଧା ଶେଷ ହେବ ୫୫ଟି ବସ୍‌‌ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର, ୨୩/୦୧/୨୦୨୩ –  ଗ୍ରାମାଞ୍ଚଳରେ ଗମନା ଗମନ ଭିତ୍ତିଭୂମିକୁ ସୁଦୃଢ଼ କରି ଲୋକଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ବସ୍‌‌ଷ୍ଟାଣ୍ଡ ନିର୍ମାଣ ଶେଷ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି ସରକାର । ୫୯ଟି ବସ୍‌‌ ଷ୍ଟାଣ୍ଡ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ସେଥିରୁ ୫୫ଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଏଗୁଡ଼ିକ ମଧ୍ୟରୁ ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ୪୩ଟି ବସ୍‌‌ ଷ୍ଟାଣ୍ଡର ନିର୍ମାଣ କରୁଥିବା ବେଳେ  OSRTC ୧୧ଟି ଏବଂ ପୂର୍ତ୍ତ ବିଭାଗ ଗୋଟିଏ ନିର୍ମାଣ କରୁଛି । ସେଥିରୁ ଜାନୁଆରୀ ଶେଷ ସୁଦ୍ଧା  ସମସ୍ତ ୧୧ଟି ବସ୍‌‌ ଷ୍ଟାଣ୍ଡର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖିଛି OSRTC । ଆସନ୍ତା ଜୁନ୍‌‌ ମାସ ସୁଦ୍ଧା ସମସ୍ତ ୫୫ଟି ବସ୍‌‌ ଷ୍ଟାଣ୍ଡର ନିର୍ମାଣ ଶେଷ ହେବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ଏବେ ଦୁଇ ଗୁଣା ବୃଦ୍ଧି କରାଯାଇଛି ।

ସେପଟେ OSRTC ଆଉ ୧୦୦ଟି ସ୍ଥାନରେ ବସ୍‌‌ ଷ୍ଟାଣ୍ଡ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ଲୋକଙ୍କ ଆବଶ୍ୟକତା ଓ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ନୂଆ ବସ୍‌‌ଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ଚୟନ କରାଯିବ । ବସ୍‌‌ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏହାର ବିସ୍ତୃତ ତଥ୍ୟ ବିଭାଗର ପୋର୍ଟାଲରେ ଅପଲୋଡ୍‌‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । OSRTCକୁ ଆର୍ଥିକ କ୍ଷତିରୁ ଉଦ୍ଧାରିବା ପାଇଁ ପରିବହନ ବିଭାଗ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ନୂଆ ବସ୍‌‌ ଷ୍ଟାଣ୍ଡ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଧାରିବ ବୋଲି ଆଶା କରାଯାଉଛି । ଜାନୁଆରୀ ୧୨ ତାରିଖରେ ପରିବହନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହା ଆଲୋଚନା କରା ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com