ଅନ୍ୟାନ୍ୟ

ଭୟାନକ ବିନାଶରୁ ବର୍ତ୍ତିଗଲା ୟୁକ୍ରେନ! ଆୟତ୍ତ ହେଲା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟର ନିଆଁ, ଋଷୀୟ ଥର୍ମାଲ ଇମେଜିଂ ଟ୍ୟାଙ୍କରୁ ହୋଇଥିଲା ଗୋଳାମାଡ଼

ଜାପୋରିଜ୍ଜିୟା : ଋଷିୟ ସୈନିକଙ୍କ ଭୀଷଣ ଗୁଳିଗୋଳା ମାଡ଼ରେ ଜାପୋରିଜ୍ଜିୟା ଆଣବିକ ପ୍ଲାଣ୍ଟରେ ଲାଗିଥିବା ନିଆଁ ଶୁକ୍ରବାର ଆୟତ୍ତ ହୋଇଛି। ୟୁକ୍ରେନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଫଳରେ ଋଷିଆର ଅପରିଣାମଦର୍ଶିତା ଯୋଗୁ ୟୁକ୍ରେନ ଉପରେ ଘନେଇଥିବା ଆଣବିକ ବିପଦ ଅଳ୍ପକେ ଟଳି ଯାଇଛି। ଏନର୍ଗୋଦାର ସହରରେ ଥିବା ଏହି ନ୍ୟୁକ୍ଲିୟର ପ୍ଲାଣ୍ଟର ତୃତୀୟ, ଚତୁର୍ଥ ଓ ପଞ୍ଚମ ମହଲାରେ ନିଆଁ ଲାଗିଥିଲା। ତେବେ ଏଥିରେ କେହି ହତାହତ ହୋଇ ନଥିବା ମେୟର ଦିମିତ୍ରୋ ଓରଲୋଭ କହିଛନ୍ତି।

ଋଷିୟ ସୈନିକଙ୍କ ଭୀଷଣ ଗୁଳିଗୋଳା ମାଡ ଯୋଗୁ ନ୍ୟୁକ୍ଲିୟର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା। ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ଲାଣ୍ଟକୁ ଘେରି ରଖିଥିବାରୁ ତୁରନ୍ତ ଦମକଳ ବାହିନୀ ମଧ୍ୟ ପହଞ୍ଚି ପାରିନଥିଲେ। ତେବେ ସକାଳ ପ୍ରାୟ ୫ଟା ୨୦ ମିନିଟ୍‌ରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିବା ବେଳେ ସାଢେ ୬ଟା ବେଳକୁ ପରିସ୍ଥିତିକୁ ଆୟତ୍ତ କରିଛନ୍ତି। ଏହି ଘଟଣାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ତତଃ ଏଥିରେ ଏବେ ଇୟୁରୋପ ମହାଦେଶର ନେତାମାନେ ଏବେ ଜାଗନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଏହି କାଣ୍ଡ ଲାଗି ଋଷିଆ ବିରୋଧରେ ଜେଲଂସ୍କି ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି।

ଜେଲଂସ୍କି କହିଛନ୍ତି ଯେ ଇୟୁରୋପର ଏହା ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ। ଋଷିୟ ସୈନିକମାନେ ଥର୍ମାଲ ଇମେଜିଂ ଲଗା ଟ୍ୟାଙ୍କ ଜରିଆରେ ଜାଣିଶୁଣି ଏହାର ୬ଟି ରିଆକ୍ଟର ଉପରକୁ ଗୋଳା ମାଡ କରିଛନ୍ତି। ୧୯୮୬ ଚେର୍ଣ୍ଣୋବିଲ ବୈଶ୍ୱିକ ବିନାଶ ଆଡକୁ ଇଙ୍ଗିତ କରି ଜେଲଂସ୍କି କହିଛନ୍ତି ଯେ ଏହି ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ଯୋଗୁ ଯଦି ଆଗକୁ କୌଣସି ବିପଦ ଦେଖା ଦିଏ ଏହାର ପରିଣାମ ନିଶ୍ଚିତ ଗୁରୁତର ହେବ। ଏହା ପୂର୍ବରୁ ୟୁକ୍ରେନ ବିଦେଶମନ୍ତ୍ରୀ ଦିମିତ୍ରୋ କୁଲେବା ଆକ୍ରମଣ ଯୋଗୁ ଯଦି ଆଣବିକ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଯାଏ ଏହାଚେର୍ଣ୍ଣୋବିଲ କାଣ୍ଡଠାରୁ ୧୦ ଗୁଣା ଅଧିକ ଭୟଙ୍କର ହୋଇପାରେ ବୋଲି ଚେତାଇ ଥିଲେ।

ୟୁକ୍ରେନର ଆଣବିକ ଶକ୍ତି କେନ୍ଦ୍ର ଉପରେ ଋଷିଆ ସୈନିକଙ୍କ ଏପରି ଆକ୍ରମଣକୁ ଏବେ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଆମେରିକା ଶକ୍ତି ମନ୍ତ୍ରୀ ଜେନିଫର ଗ୍ରାନହୋମ ଏହି ଘଟଣାକୁ ଅତ୍ୟନ୍ତ ସ୍ପର୍ଷକାତର ବୋଲି କହିଛନ୍ତି। ସେହିପରି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଋଷ ଦ୍ୱାରା ଏପରି ଆକ୍ରମଣ ତୁରନ୍ତ ବନ୍ଦ ହେଉ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନରେ ଏବେ ୪ଟି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସକ୍ରିୟ ରହିଛି। ଏଥିରେ ଜାପୋରିଜ୍ଜିୟା ଅନ୍ୟତମ। ଏହା ଦେଶର ୨୫ ପ୍ରତିଶତ ବିଦ୍ୟୁତ ଆବଶ୍ୟକତା ପୂରଣ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com