ଓଡ଼ିଶା

ବିଧାନସଭାରେ ଏମଏସପି ତାତି, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ତାରା ବାହିନୀପତି

ଭୁବନେଶ୍ୱର, ୦୬/୦୭/୨୦୨୨ – ବିଧାନସଭାରେ ଏମଏସପି ତାତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ବୁଧବାର ହୁଲୁସ୍ତୁଲ ହୋଇଛି ବିଧାନସଭା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସିଧାସଳଖ ଟାର୍ଗେଟ କରିଛନ୍ତି କେନ୍ଦ୍ର ସରକାରଙ୍କୁ । MSP ବୃଦ୍ଧି ହୋଇନଥିବାରୁ ସମସ୍ତ ବିଧାୟକ ଓ ମନ୍ତ୍ରୀମାନେ ଦିଲ୍ଲୀ ଦରବାରରେ ଧାରଣା ଦେବା ପାଇଁ ସେ ଆହ୍ୱାନ କରିଛନ୍ତି । ସେପଟେ କୃଷିମନ୍ତ୍ରୀ ମଧ୍ୟ ଏ ପ୍ରସଙ୍ଗରେ ତେରଛା ବାଣ ମାରିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କୁ । କେନ୍ଦ୍ର ସରକାର କହୁଛନ୍ତି ଗୋଟେ କଥା କରୁଛନ୍ତି ଗୋଟେ କଥା ବୋଲି କୃଷିମନ୍ତ୍ରୀ କହିଛନ୍ତି । ୨୦୧୪ରେ କେନ୍ଦ୍ର ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା କୁଆଡେ ଗଲା ବୋଲି ବିଷ୍ଣୁଙ୍କୁ ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଜବାବରେ କେନ୍ଦ୍ର ସରକାରଙ୍କ ଉପରକୁ ସବୁ ଦୋଷ ଦେବା ଠିକ୍ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ । ସେ କହିଛନ୍ତି, ରାଜ୍ୟ ସବୁ କଥାରେ ମୋ ସରକାର, ମୋ ବସ୍, ମୋ ସାଇକେଲ୍ କରୁଛନ୍ତି । ହେଲେ ଚାଷ କ୍ଷେତ୍ରରେ ମୋ ଶୀତଳ ଭଣ୍ଡାର, ମୋ ଚାଷୀର ଉତ୍ପାଦନ କରୁନାହାନ୍ତି କାହିଁକି । ସବସିଡି ଦେଉଛନ୍ତି, ସବୁ ସହାୟତା କରୁଛନ୍ତି ବୋଲି କହୁଛନ୍ତି ମାତ୍ର ଜଣେ ଯୁବ ଇଞ୍ଜିନିୟର ଆସିଲେ ଏ ବାବୁରୁ ସେ ବାବୁ ପାଖକୁ ଦଉଡ଼ି ଦଉଡି ଆତ୍ମହତ୍ୟା କରୁଛନ୍ତି । ସରୁ ଚାଉଳର କେତୋଟି ପ୍ଲାଣ୍ଟ ଓଡ଼ିଶାରେ ଅଛି ବୋଲି ପ୍ରଶ୍ନ କରିଥିଲେ ବିଷ୍ଣୁ । ଆନ୍ଧ୍ରପ୍ରଦେଶରୁ ଫୁଲ, ଆଳୁ ଆସୁଛି । ଆନ୍ଧ୍ରରୁ ଫୁଲ ନ ଆସିଲେ ମନ୍ତ୍ରୀଙ୍କ ବେକରେ ମାଳ ପଡ଼ିବନି । ମେ’ଫେୟାରରେ ଯେଉଁ ମକା ଖାଉଛୁ ତାହା ନବରଙ୍ଗପୁରର, ମାତ୍ର ପଲାସାରେ ପ୍ରୋସେସିଂ ହୋଇ ଆସୁଛି । ସେପଟେ ପ୍ରଶ୍ନ କାଳରେ ଭାଗଚାଷୀ ପ୍ରସଙ୍ଗକୁ ନେଇ କୃଷିମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com