ଅନ୍ୟାନ୍ୟ

ମଞ୍ଚେଶ୍ଵର ଆଦିମାତା କଲୋନୀରୁ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର, ୧୫/୦୮/୨୦୨୨-  ଭୁବନେଶ୍ୱର ମଞ୍ଚେଶ୍ଵରରେ ଆଦିମାତା କଲୋନୀରୁ ସପ୍ତାହକ ତଳେ ଏକ ପ୍ରାପ୍ତ ବୟସ୍କ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା । “ମୋ ବସ” ଡ଼ିପୋର ନିର୍ମାଣାଧୀନ ଡ୍ରେନ ଓ ପଡିଆ ଭିତରେ ଅସଂଖ୍ୟ ବଜ୍ରକାପ୍ତା ପାଦ ଚିହ୍ନ ପଡ଼ିବା ଦୃଶ୍ୟମାନ ହୋଇଥିଲା । ଏଣୁ  ନଗର ବନଖଣ୍ଡ ତରଫରୁ ସେଇ ଅଞ୍ଚଳରେ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଥିଲା । ବିଳମ୍ବିତ ରାତି ଯାଏଁ ସେଇ ସ୍ଥାନରେ ଭୁବନେଶ୍ୱର ରେଞ୍ଜ କର୍ମଚାରୀ ମାନେ ପହରା ଦେଉଥିଲେ । ହେଲେ ସେମାନେ ଆଉ କିଛି ବି ବଜ୍ରକାପ୍ତା ଦେଖିବାକୁ ପାଇନଥିଲେ । ମାତ୍ର ସେଠାରେ କାମ କରୁଥିବା ନିର୍ମାଣ ଶ୍ରମିକ ମାନେ ରାତିରେ ଅନେକ ଥର ବଜ୍ରକାପ୍ତା ଦେଖୁଥିଲେ । ବନ ବିଭାଗ ତରଫରୁ ସେଇ ସ୍ଥାନକୁ ସାଧାରଣ ଲୋକଙ୍କୁ ନ ଛାଡ଼ିବା ପାଇଁ ବାରଣ କରାଯାଇଥିଲା । ହେଲେ, ମୋ ବସ ଡିପୋର ପାଖ ଖାଲି ପ୍ଲଟ ଯେଉଁ ଜାଗାଟି ଜଙ୍ଗଲ ହୋଇକି ଅଛି, ସେଇ ସ୍ଥାନରେ ବଜ୍ରକାପ୍ତା ଖୋଜିବା ପାଇଁ କିଛି ଲୋକ ଯିବା ଆସିବା କରିବା ଖବର ପାଇବା ପରେ  ନଗର ବନଖଣ୍ଡ ତରଫରୁ ସାରା ରାତି ଷ୍ଟାଫ୍ ରହିବେ ।

ସିଟି ଡ଼ିଏଫଓ ଅଜିତ କୁମାର ଶତପଥୀ ନନ୍ଦନକାନନ ଉପ ନିର୍ଦ୍ଦେଶକଙ୍କୁ ବଜ୍ରକାପ୍ତା ଚଳ ପ୍ରଚଳ ଅଞ୍ଚଳରେ ଆଧୁନିକ କ୍ୟାମେରା ଟ୍ରାପ୍ ଲଗେଇବା ପାଇଁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ କ୍ରମେ ନନ୍ଦନକାନନର ବାୟୋଲୋଜିଷ୍ଟ ଡଃ ରାଜେଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆସି ମୋ ବସ ଡିପୋରେ କିଛି ସ୍ଥାନ ଚିହ୍ନଟ କରି, ପ୍ରଥମ ପର୍ଯ୍ୟାୟରେ 4 ଟି କ୍ୟାମେରା ଟ୍ରାପ୍ ଲଗେଇଛନ୍ତି । ଏଇ କ୍ୟାମେରା ସାମ୍ନାରେ କୌଣସି ଜନ୍ତୁ ଚଳପ୍ରଚଳ କଲେ କ୍ୟାମେରାରେ ଆପେ ଆପେ ଫ୍ଲାସ ହୋଇ ଫୋଟୋ ଉଠିଯିବ ।

କ୍ୟାମେରା ଟ୍ରାପ ଲଗେଇବାରେ ସାହାଯ୍ୟ କରିଥିଲେ ଭୁବନେଶ୍ୱର ରେଞ୍ଜର ଫରେଷ୍ଟର ଧ୍ୟାନ ଟୁଡୁ, ଫରେଷ୍ଟ ଗାର୍ଡ ରଞ୍ଜନ କୁମାର ନାୟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ । ଶୁଭେନ୍ଦୁ କହିଛନ୍ତି, “ଛୋଟ ଓ ବଡ଼ ମିଶି ତିନୋଟି ବଜ୍ରକାପ୍ତା ଦେଖିଥିବା ନିର୍ମାଣ ଶ୍ରମିକମାନେ ବର୍ଣ୍ଣନା କରିଛନ୍ତି । କ୍ୟାମେରା ଟ୍ରାପରେ ଲାଗିଲେ କିମ୍ବା ବଜ୍ରକାପ୍ତାକୁ ଅନ୍ୟ କେହି ମନ୍ଦ ଉଦ୍ଦେଶ୍ୟ ରଖି ଧରିବାକୁ ଚେଷ୍ଟା କଲେ ଅବିଳମ୍ବେ ଗିରଫ କରାଯିବା ପାଇଁ ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି ।”

Related Articles

Back to top button
WP Twitter Auto Publish Powered By : XYZScripts.com