ଐତିହ୍ୟ ଓ ସଂସ୍କୃତି

ଆଜିଠାରୁ ଖଣ୍ଡଗିରିରେ ଯାତ୍ରା

ଭୁବନେଶ୍ୱର, ୩୦ /୦୧/୨୦୨୩ –   ସୋମବାର ଠାରୁ ଖଣ୍ଡଗିରିରେ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ । ଆଜିଠାରୁ ୩ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ । ସନାତନ ସେବା ସମିତି (ଖଣ୍ଡଗିରି-ଘାଟିକିଆ), ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ (ଆଇଗିଣିଆ-ଡୁମୁଡୁମା), ଇନ୍ଦିରା ସାଂସ୍କୃତିକ ପରିଷଦ (ଖଣ୍ଡଗିରି-ଜାଗମରା) ରେ ନାଟକ ହେବ ।

ସନାତନ ସେବା ସମିତି ପେଣ୍ଡାଲରେ ଅପେରା ସୂର୍ଯ୍ୟ ମନ୍ଦିର ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’ ଭଳି ନାଟକ ଦର୍ଶକଙ୍କୁ ଭେଟି ଦେବ । ସୁବାସ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରୁଥିବାବେଳେ ଟିକିନାଙ୍କୁ ନାୟିକା ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ହାସ୍ୟ ଅଭିନେତା ଭୁମିକାରେ ବାପି-ଟୁକୁ ଓ ଖଳନାୟକ ଭୂମିକାରେ ଶୁଭେନ୍ଦୁଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ମଞ୍ଚ ବିଶ୍ୱ ଦରବାରକୁ ନେଇ ଯାତ୍ରା ମଇଦାନକୁ ଆସିବ । ‘ମୃତ୍ୟୁ ପରେ ମଣିଷ’ ନାଟକକୁ ନେଇ ବିଶ୍ୱ ଦରବାର ଖଣ୍ଡଗିରି ଯାତ୍ରା ମହାକୁମ୍ଭକୁ ଓହ୍ଲାଇବ । ବାପି ପଣ୍ଡା ହିରୋ ଏବଂ ଭାରତୀ ଓ ମାତନ ହିରୋଇନ୍‌‌ ଭୂମିକାରେ ନଜର ଆସିବେ। ଏହି ନାଟକରେ ପ୍ରମୁଖ ଭୂମିକାରେ ଜଲିଉଡର ଦୁର୍ଦ୍ଦାନ୍ତ ଖଳନାୟକ ସଞ୍ଜୟ ଭୋଳଙ୍କ ଅଭିନୟ ଲୋକପ୍ରିୟତା ସାଉଁଟିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ଇନ୍ଦିରା ସାଂସ୍କୃତିକ ପରିଷଦରେ ଶିବାନୀ ଗଣନାଟ୍ୟ ନାଟକ ପରିବେଷଣ କରିବ। ‘ଆଖି ତୋର ଲୁହ ମୋର’ ନାଟକକୁ ନେଇ ଶିବାନୀ ମଇଦାନକୁ ଓହ୍ଲାଇବ । ଏହି ନାଟକରେ ଶଙ୍ଖାଳିଙ୍କୁ ମୁଖ୍ୟ ନାୟକ ଓ ଟିକିଙ୍କୁ ନାୟିକା ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ସେହିପରି ଖଳନାୟକ ଭୂମିକାରେ କାହ୍ନା ଓ ବ୍ରଜ ପାଣି ଅଭିନୟ କରିଛନ୍ତି ।

ପ୍ରତ୍ୟେକ ପେଣ୍ଡାଲରେ ଦୁଇ ହଜାରରୁ ତିନି ହଜାର ଦର୍ଶକ ବସିବା ବ୍ୟବସ୍ଥା କରାଯାଇଛି । ସାଧାରଣ ବର୍ଗର ଟିକଟର ମୂଲ୍ୟ ୧୫୦ ଟଙ୍କା ରଖାଯାଇଥିବା ବେଳେ ସ୍ୱତନ୍ତ୍ର ବର୍ଗର ଟିକଟ ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି । ମୋଟ ୬ଟି ଅନୁଷ୍ଠାନକୁ ନାଟକ ପରିବେଷଣ କରିବାକୁ ପ୍ରଶାସନ ଅନୁମତି ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com